Unknown

 

 

 

 

 

 

 

 

 

 

ନବ ଜାତକ

ରାଧାମୋହନ ଗଡ଼ନାୟକ

 

ସୂଚୀପତ୍ର

 

୧.

ଅଦ୍ଭୁତ ସେ ମାନବ ପଦେ

୨.

ସତୀ ଚଉରା

୩.

ସ୍ୱାଗତ ହେ ଚିୟାଙ୍ଗ୍‌ କୈଶେକ

୪.

କନିଅର ଫୁଲ

୫.

କାହିଁ ପାଇଁ ଏତେ ଭେଦ

୬.

ଧୂଳିଆ ବାବା

୭.

କୃଷ୍ଣପକ୍ଷ ଓ ଶୁକ୍ଳପକ୍ଷ

୮.

କୌମୁଦୀର ଅବଦାନ

୯.

କଟନିସ୍‌-ସେ ତ ମରିନାହିଁ

୧୦.

ଘାସଫୁଲ

୧୧.

ବିଦ୍ୟୁତ

୧୨.

କୃଷ୍ଣଚକ୍ର ଗଡ଼

୧୩.

ବ୍ୟଥିତର ଗୀତ

୧୪.

ଗୋପବନ୍ଧୁ ହେ ଚଞ୍ଚଳ ଆସ ଫେରି

୧୫.

ହିନ୍ଦୁ ମୁସଲମାନ

୧୬.

ନବଉତ୍କଳ

୧୭.

ଶରତ-ନଈ-କୂଳେ

୧୮.

ସୃଷ୍ଟିର ଅପମାନ

୧୯.

ପତାକା ସଙ୍ଗୀତ

***

 

ଅଦ୍ଭୁତ ସେ ମାନବ ପଦେ

 

 

କମାଣ ଗୋଳା ସମ୍ମୁଖରେ

ଛାତିର ହାଡ଼ ବଜ୍ର କରି ।

ଅହିଂସାର ଯୁଦ୍ଧ ରଚି

ଜିତିଲା ଯିଏ ହିଂସ୍ର ଅରି ।

ସ୍ୱାଧୀନ କଲା ବିଶାଳ ଦେଶ

ମୁକ୍ତ କଲା ବିରାଟ ଜାତି

ଅଦ୍ଭୁତ ସେ ମାନବ ପଦେ

ଅର୍ଘ୍ୟ ତୋର ତାଳରେ ସାଥି ।

 

 

ସର୍ପ ଯେବେ ଦର୍ପ ଭରେ

ଦଂଶିବାକୁ ଆସିଲା ଧାଇଁ

ବାହୁରେ ତାକୁ ନେଲା ଯେ ତୋଳି

ଡରିଲା ନାହିଁ, ଥରିଲା ନାହିଁ ।

ଶମ୍ଭୁ ସମ ବୁକୁରେ ଧରି

କରିଲା ସାଥି, କରିଲା ଜ୍ଞାତି,

ଅଦ୍ଭୁତ ସେ ମାନବ ପଦେ

ଅର୍ଘ୍ୟ ତୋର ଢାଳ ରେ ସାଥି

 

 

ଦଗ୍ଧୀଭୂତ ପ୍ରାଣର ଜ୍ୱାଳା

ମର୍ମେ ଘେନି ଯେ ଭଗୀରଥ

ସ୍ୱର୍ଗ ପଥୁ ଆଣିଲା ବାହି

ଗଙ୍ଗାଧାରା ମୁକ୍ତି ପଥ ।

ଶମଶାନର ଭସ୍ମ ପରେ

ଖେଳାଇ ଦେଲା ଜୀବନ ଭାତି,

ଅଦ୍ଭୁତ ସେ ମାନବ ପଦେ

ଅର୍ଘ୍ୟ ତୋର ଢାଳ ରେ ସାଥି ।

 

 

ଭାରତ ପଥେ ଚରଣ ଚାଳି

ନିସ୍ତାରିଲା ଭାରତେ ଆଜ

ପୁଣ୍ୟ ପାଦ ପରଶ ଦେଇ

ପାଷାଣେ ଯଥା ରାଘବରାଜ ।

ପୁଣି ଯେ ରାମ ରାଜ୍ୟ ଆଣି

କାଟିଲା ଘୋର ତିମିର ରାତି

ଅଦ୍ଭୁତ ସେ ମାନବ ପଦେ

ଅର୍ଘ୍ୟ ତୋର ଢାଳ ରେ ସାଥି ।

***

 

ସତୀଚଉରା

 

 

ଜାଣେ ନାହିଁ ମୁଁ ତ ହେ ସତୀଚଉରା

କେବେ କେଉଁ ସତୀ ନାରୀ

ପତି ଚିତାନଳେ ତୋହରି କୋଳରେ

ତନ ଦେଇଥିଲା ଜାଳି ।

 

ଜଳି ଯାଇଥିଲା ଚଉରା ମୂଳର

ସଞ୍ଜ-ବତୀଟି ପରି,

ପୁଳିନ ଖଣ୍ଡ କେତୋଟି ଦଣ୍ଡ

ଥିଲା ଉଜ୍ଜ୍ୱଳ କରି ।

 

ଜାଣିବାର ଅବା ଇଚ୍ଛା କାହିଁ ତ

ଜାଗୁନାହିଁ ମୋର ମନେ

ତୃପ୍ତ ମୋହର ଜିଜ୍ଞାସା, ଯାହା

ଦେଖୁଅଛି ମୋ ନୟନେ ।

 

 

 

ବୁଝିଚି ମୁଁ ଆଜି ହେ ସତୀଚଉରା,

ନୋହୁ ରେ ମଶାଣି ଭୂଇଁ

ଉତ୍କଳ ବୁକେ ପୁଣ୍ୟ ପ୍ରଭାସ

ବାଣୀର ତୀର୍ଥ ତୁହି ।

 

 

ପ୍ରକୃତି-କବି ରାଧାନାଥ ଆଜି

କରାଳ ତୋହର କୋଳେ

ଶୈଳ ବନାନା ତଟିନୀର ଶିରୀ

ଦେଖୁଚି ଶରଧା ଭୋଳେ ।

 

ଭକ୍ତ-ପରାଣ ମଧୁସୂଦନ ତ

ଗୁରୁ-ପାଦ-ପାଶେ ବସି

ମୌନ ଧିଆନେ ବ୍ରହ୍ମଗିଆନେ

ନୀରବେ ଯାଇଚି ରସି ।

 

ଜୀବନ-ରଙ୍ଗ- ମଞ୍ଚ ଉରସେ

ଯବନିକା ଟାଣି ଦେଇ

 

 

ନାଟ୍ୟ ରସିକ ରାମ ଶଙ୍କର

ଶୋଇ ତ ପଡ଼ିଚି ଏଇ ।

 

ପ୍ରତ୍ନ-ପୂଜାରୀ ମୃତ୍ୟୁଞ୍ଜୟ

ରତ୍ନ ଖୋଜୁଚି ସୁଖେ

ସରାଗ ନୟନେ ଥରେ ଥରେ ଚାହିଁ

ନରାଜ ପାହାଡ଼-ମୁଖେ ।

 

ପଲ୍ଲୀ-ବିଭୋର ନନ୍ଦକିଶୋର

ଛାଡ଼ି କୁସୁପୁର ମାୟା

କାଠଯୋଡ଼ୀ ନଦୀ- ସିକତା ପୁଲିନେ

ଆଶ୍ରିଚି ତୋର କାୟା ।

 

ପ୍ରଗତି ପଥର ତରୁଣ ପଥିକ

ପ୍ରବୀଣ ବିଶ୍ୱନାଥ

ସାହିତ୍ୟ ଶିରୀ ସୃଷ୍ଟିର ଆଶେ

କରିଚି ଜୀବନ ପାତ ।

 

ମାତୃଭାଷାର ଗୌରବ ଦାତା

କଥା-କବି ପ୍ରହରାଜ,

 

 

ତୋର ବୁକେ ବସି ଜୀବନର ପଥେ

ଆତୁରେ ଚାହୁଁଚି ଆଜ ।

 

ଏତେ ଏତେ କବି କୋବିଦର ପୁରୀ

ବହିଅଛୁ ତୋର ପଥେ

କିପରି କହିବି ଶମଶାନ ବୋଲି ?

ହେ ସତୀଚଉରା ତତେ ।

 

 

ରୁକ୍ଷ ତୋହର ବକ୍ଷ ବିତାନେ

ସଞ୍ଚିତ ବହୁ ଧନ

ଲକ୍ଷ ସପନ ଲକ୍ଷ ମନନ

ବହୁତ ମହତ୍‌ ମନ ।

 

ଆଖିର ଉହାଡ଼େ ସୁପ୍ତ ବହୁତ

ଆତ୍ମା ଉଠୁଚି ଝଳି,

ଦିବସ ଗଗନେ ଗୁପ୍ତ ଯେସନେ

ଦୀପ୍ତ ତାରକା ବଳି ।

 

 

ମୃତ୍ୟୁର ପଥ ହେ ସତୀଚଉରା

ଦିଅ ପୁଞ୍ଜିତ ଭାବ,

ମୃତ୍ୟୁରେ ଜିଣି ଏ ମୋର ଜୀବନେ

ଜୀବନ କରିବି ଲାଭ ।

***

 

ସ୍ୱାଗତ ହେ ଚିୟାଙ୍ଗ୍‌ କୈଶେକ

 

ସ୍ୱାଗତ ହେ, ଚିୟାଙ୍ଗ୍‌ କୈଶେକ,

ଘେନ ଆଜି ଆମର ଏ ପ୍ରାଣ-ଭରା ପ୍ରୀତି ଅଭିଷେକ ।

 

ତୁମର ଆମର ମୈତ୍ରୀ ଆଜି ନୁହେଁ ଯୁଗ ଯୁଗ ଧରି

ପ୍ରାଣେ ପ୍ରାଣେ ରହି ଅଛି ଭରି ।

ଆମ ବୁଦ୍ଧ ଯେଉଁ ବାଣୀ କେଉଁ ଦୂର ଶତାବ୍ଦୀର ତଳେ

ଢାଳିଥିଲେ ଅନ୍ତରେ ଅନ୍ତରେ ।

ଘେନି ତାହା ତୁମେ

ତବ ଚିତ୍ତ ଭୂମେ

ଅବଧି ରଖିଚ ତାହା ଶିଳା ଚୈତ୍ୟ ସ୍ତୂପେ

କେତେ କେତେ ରୂପେ ।

ମହାଭିକ୍ଷୁ ରାଜେଶ୍ୱର ଶ୍ରୀହର୍ଷ ଅଶୋକ

ଲଭି ପ୍ରେମାଲୋକ,

ରଚିଥିଲେ ହୃଦୟ-ନନ୍ଦନ

ପ୍ରେମର ବନ୍ଧନ,

ତୁମରି ସମ୍ରାଟ ସହ

କରିଥିଲେ ପ୍ରାଣ-ବିନିମୟ ।

 

ଆମରି ଏ ଜନ୍ମଭୂମେ ଯୁଗ ଯୁଗ ଆଲୋକର ଜନ୍ମଭୂମି ମଣି

ତୁମରି ଧରଣୀ

ପଠାଇଛି ଆପଣା ସନ୍ତାନେ

ନିତ୍ୟ ନବ ଆଲୋକ ସଂଧାନେ ।

ହୁଏନଂ ସାଂ ଆସିଥିଲେ ଫାହିୟାନ ଆସିଥିଲେ ଏଥେ

ଆସିଥିଲେ କେତେ ।

କେତେ ଯେ ଅତିଥି ପୁଣି କେତେ ଅନ୍ତେବାସୀ

ନାଲନ୍ଦାର ବିଦ୍ୟାପୀଠେ ଆସି

ଲଭୁଥିଲେ ଜ୍ଞାନ

ଜୀବନର ଚରମ ସମ୍ମାନ ।

ଆଜି ତୁମେ ଆସିଅଛ ଚାଇନାର ଭାଗ୍ୟ ନିୟାମକ

ତୁମରି ଅର୍ଚ୍ଚନେ ଆଜି ମିଳନର ଶଙ୍ଖ

ବାଜେ-ବାଜିଉଠୁ ଏ ଭାରତମୟ

ଜୟ ଭାରତର ଜୟ, ଚାଇନାର ଜୟ ।

 

ସ୍ୱାଗତ ହେ ଚିୟାଙ୍ଗ୍‌ କୈଶେକ

ଘେନ ଆଜି ଆମର ଏ ପ୍ରାଣ-ଭରା ପ୍ରୀତି-ଅଭିଷେକ ।

***

 

କନିଅର ଫୁଲ

 

ହେମ-

ଗୌର ତନୁଟି

ଢଳ ଢଳ

ଉଷା-

ଶିଶିର ସ୍ନାହାନେ

ଛଳ ଛଳ

ତାର

ହୃଦୟେ ଅଛିକି

ଅଭିଳାଷ ?

ଉଭା

ଦେଉଳ ଦୁଆରେ

ବାରମାସ ।

 

 

 

ଖରା

ବଇଶାଖ-ତାପେ

ସିଝି ସିଝି

ଝର

ଝର ବରଷାରେ

ଭିଜି ଭିଜି

ଭର

ମାଘମାସ ଶୀତେ

ଥରି ଥରି

ସିଏ

ସବୁଦିନେ ଉଭା

ସେଇ ପରି

 

 

 

ତାର

ବୁକୁର ବ୍ୟାକୁଳ

ବେଦନାରେ

ତାର

ଅନ୍ତର ଭରା

ସାଧନାରେ

ମୁହଁ

ମୁଗ୍ଧ କିଶୋର

ଦୀନ କବି

ନିତି

ନିରେଖଇ ତାର

ଦୀନ ଛବି ।

 

 

 

ଆଜି

ମନ୍ଦିର ପଥ

ନିଛାଟିଆ

ମୁଁ ତ

ଯାଉଥିଲି ଏକା

ଏକାଟିଆ

ହେମ

ଉଷାର କିରଣ

ରୂପରାଗେ

କିସ

ଇଙ୍ଗିତ ଦେଲା

ମୋର ଆଗେ ।

 

 

 

ତେବେ

ଅଧୀର ସମୀର

ପରବାହେ

ଉଠେ

‘‘ସତ୍ୟ ସୁଁଦର

ଶିବ ଆହେ’’ ।

ତାର

ମରମ ବାସନ

ହୃଦବାଣୀ

ଏବେ

ଏତେ ଦିନେ ପାରିଲି

ମୁଁ ଜାଣି ।

 

 

 

ତାର

ଜୀବନର ନାହିଁ

ସଉରଭ

ତାର

ଜଗତରେ ନାହିଁ

ଗଉରବ ।

ତେଣୁ

ଦୀର୍ଘ ବରଷ

ମାସ ଧରି

ସିଏ

ସବୁଦିନେ ଉଭା

ସେଇପରି ।

***

 

କାହିଁ ପାଇଁ ଏତେ ଭେଦ ?

 

କାହିଁ ପାଇଁ ଏତେ ଭେଦ ହେ ଦେବତା

କାହିଁପାଇଁ ଏତେ ଭେଦ

ଭ୍ରାନ୍ତ ମାନବ ବୁଝି ପାରୁନାହିଁ

ସହଜ ତୁମର ବେଦ ।

 

ସନ୍ଧ୍ୟା ଲଗନେ ତୁମରି ଧିଆନେ ରସି

ହିନ୍ଦୁ ପୂଜଇ ମନ୍ଦିର କୋଳେ ବସି;

ବୌଦ୍ଧ ମାଗଇ ଚରଣେ ତୁମର

ହିଂସାର ଉଚ୍ଛେଦ ।

 

ଚରଚେ ପ୍ରେମର ସଙ୍ଗୀତ ଗାଇ

ଅରଚେ ଖ୍ରୀଷ୍ଟିୟାନ୍‌

ମସ୍‌ଜିଦ କୋଳେ ଗମ୍ଭୀର ରୋଳେ

ଡାକଇ ମୁସଲମାନ୍‌ ।

 

 

 

 

 

 

କାହାର ପୂଜା କି ଅଧିକ ତୁମର ପ୍ରିୟ ?

କାହାର ପୂଜା କି ଉତ୍ତମ କମନୀୟ ?

ଧର୍ମର ନାମେ କାହିଁପାଇଁ ତେବେ

ପଡ଼ଇ ରକ୍ତ ମେଦ ?

***

 

ଧୂଳିଆ ବାବା

 

 

ଧୂଳିଆ ବାବ ରେ ଧୂଳିଆ ବାବା

ବଦନରେ ତୋର ଉଜଳ ଆଭା ।

ଦିଗମ୍ୱର ତୁ ବାଇଆ ଭୋଳା

ଦେହରେ ଧୂଳିର ବିଭୂତି ବୋଳା ।

ଗ୍ରାମ ଦାଣ୍ଡରେ ଧୂଳିରେ ବସି

ଧୂଳି ଖେଳରେ ତୁ ଯାଉ ତ ରସି ।

ଗଢ଼ି ଦେଉ ତୋର ଧୂଳିର ପୁର

ଧୂଳି ଉଦ୍ୟାନ ଧୂଳିର ଫୁଲ ।

ବୁଣୁରେ ତୋହର ଧୂଳିର ଧାନ

ବାଢ଼ୁ ତୋ ଧୂଳିର ଅନ୍ନ ପାନ ।

ଧୂଳିଠାରୁ ଭଲା ପାଉଛୁ କିସ

ଧୂଳିରେ ଭୁଲୁଚୁ ଅହର୍ନିଶ ?

 

 

 

 

 

ପଙ୍କେ ପଦୁଅଁ ଫୁଲ କଳିରେ

ଧୂଳିଆ ବାବା ତୁ ଲୋଟୁ ଧୂଳିରେ ।

କ୍ଷୁଦ୍ର ତୋହର ଗୋରା ବଦନ

ଦିଶଇ କେଡ଼ିକି ତୋରା ଶୋଭନ ।

ଗୋଲାପ ବରଣ ଲଳିତ ଓଠେ

ଅଳପ ହସର ଲହରୀ ଲୋଟେ ।

ସୁନୀଳ ମେଦୁର ଯୁଗଳ ଆଖି

ଗୁପତ ହୃଦର ନୀରବ ସାଖୀ

ବାହାରେ ଦିଶୁଚୁ କି ସୁନ୍ଦର

ଭିତରେ ନିଶ୍ଚେ ସୁନିର୍ମଳ ।

ନୋହିଲେ କିପରି ଧୂଳିରେ ଗଡ଼ି

ଦିଶୁଥାଁତୁ ତୋରା ପଦୁଅଁ କଢ଼ି ।

 

 

ଧୂଳିଆ ବାବାରେ ଧୂଳିଆ ବାବା

ଜୀବନରେ ତୋର ଅମର ଆଭା ।

ଅନ୍ତରେ ତୋର ଆସିଚି ହେଜ,

ଏଇ ଧୂଳି ହେବ ସମାଧି-ଶେଯ ।

ଏଇ ଦେହ ତୋର ସମାଧି-ଦିନ

ଧୂଳି ତୁଲେ ମିଶି ହୋଇବ ଲୀନ ।

ତେଣୁ ସିନା ତୋର ଧୂଳିରେ ପ୍ରୀତି

ଧୂଳିଆ ଧୂସର ହେଉଛୁ ନିତି ।

ତେଣୁ ସିନା ତୁହି ପରାଣ ଭରି

ଧୂଳି ପୂଜା କରୁ ଭକତ ପରି ।

ଧୂଳିରେ ଲୋଟୁଚୁ ନିର୍ବିକାର

ଧୂଳିକି ମଣୁଚୁ ସତ୍ୟ ସାର ।

 

 

ଧୂଳିଆ ବାବାରେ ପ୍ରବୀଣ ତୁ ତ

ନୋହୁ ଅଜ୍ଞାନ ନୋହୁ ବାଳୁତ ।

ଶୁକ୍ଳ କେଶରେ ଶୋହେ ଯା ଶିର

ସେ ନୁହେ ବୃଦ୍ଧ ନୁହେ ଥବିର

ହୃଦେ ଯାର ଭରା ପରମ ଜ୍ଞାନ

ସେ ଏକା ବୃଦ୍ଧ ଗୁରୁ ସମାନ ।

ଶିଶୁ ହୋଇ ତୁତ ଜଗତ ଗୁରୁ

ଧୂଳିବାଦ ଘୋଷୁ ଧୂଳିର ପୁରୁଁ ।

ହୃଦର ଅଜଣା ଗୁପତ ଜ୍ଞାନ

ଦରୋଟି ଭାଷାରେ କରୁଚୁ ଗାନ

‘‘ସାରା ବିଶ୍ୱର ଧୂଳିରେ ଲୟ

ଧୂଳିର ଜୟରେ ଧୂଳିର ଜୟ ।’’

***

 

କୃଷ୍ଣପକ୍ଷ ଓ ଶୁକ୍ଳପକ୍ଷ

 

କୃଷ୍ଣପକ୍ଷ କହଇ ବିଷାଦେ

ଶୁକ୍ଳପକ୍ଷେ ଚାହିଁ

‘‘ବିଶ୍ୱର ଏଯେ ନିର୍ବିଚାରିତା

ଦେଖୁଚୁ ତ ଆରେ ଭାଇ ।

 

ଜୀବନେ ତୋହର ଯେତିକି ଆଲୋକ

ଜଗତେ କରୁଚୁ ଦାନ

ସେତିକି ଆଲୋକ ଦେଉଅଛି ମୁହିଁ

ନୁହଇ ତ ତାହା ଆନ

 

ତୁହିଁ କିଆଁ ତାର ପ୍ରିୟ ଆଦୃତ

ଅନାଦୃତ ମୁଁ ସତେ

ଶୁକ୍ଳ ବୋଲି ସେ ଡାକଇ ତତେରେ

କୃଷ୍ଣ କହଇ ମତେ ।’’

 

ଶୁକ୍ଳପକ୍ଷ କହଇ ସହାସେ

କୃଷ୍ଣପକ୍ଷେ ତେଣୁ,

 

 

 

‘‘ବୃଥା ତୁ କାହିଁକି ନିନ୍ଦୁ ଜଗତେ

ନାହିଁ ତାର ଦୋଷ ରେଣୁ ।

 

ଅନ୍ଧାର ଘେନି ନିତି ନିତି ମୁହିଁ

ଶୁଭ୍ର ଆଲୋକ ସୃଜେ

ଶୁଭ୍ର ଆଲୋକ- ସଂସଦ ଘେନି

ଅନ୍ଧାର କରୁ ତୁ ଯେ ।

 

ଭାବି ଥରେ ଦେଖ ଆପଣାର ଦୋଷ

ନାହିଁ ଏଥି ଅବିଚାର

ଆପଣା ଭିତରେ ଚାହିଁ ଦେଖ ଏବେ

ସବୁ ଦୋଷ ଆପଣାର ।’’

***

 

କୌମୁଦୀର ଅବଦାନ

 

‘‘ବିଶେଷେ ମାଗୁଣି ମୋର ମାତୃଜାତି ପାଶେ’’,

ବଡ଼ଗଡ଼-ସଭା-ମଞ୍ଚେ ବାପୁଜି ଉଲ୍ଲାସେ

ସମ୍ଭାଷିଲେ, ‘‘ହରିଜନ, ତୁମେ ସବୁ ଜାଣ

ଆମର ଏ ଦେଶେ ପାଏ କେତେ ଅପମାନ,

ଆଜି ସେଇ ଅପମାନ ଦୁରିବାର ଲାଗି

ମହାଭିକ୍ଷୁ ବୁଲେ ମୁଁ ଯେ ଭିକ୍ଷା ମାଗି ମାଗି ।

ମୋର ଆବେଦନ ଏତେ ସ୍ୱର୍ଣ୍ଣ ଅଳଂକାର

ବହିଅଛ ଆପଣାର ଅଙ୍ଗ କରି ଭାର;

ତୁମେ କିଛି କିଛି ତହୁଁ କରି ଆଜି ଦାନ

ଜଗତର ଆଗେ ରଖ ସ୍ୱଜାତିର ମାନ ।’’

 

ପରେ-ପରେ ମଞ୍ଚ ପରେ କଳ-କୋଳାହଳେ

ଠୁଳ ହୋଇଗଲା ଦାନ ଗାନ୍ଧି-ପଦତଳେ ।

 

କେ ଦେଲା ନାସାର ମୋତି, କେହି କର୍ଣ୍ଣପୁର

କେ ଦେଲା ବଳୟ ଅବା କେ ଦେଲା କେୟୁର,

କେ ଦେଲା କଣ୍ଠର ସ୍ୱର୍ଣ୍ଣମାଳା,

 

ମାତ୍ରା ଦେଖ,

 

କୌମୁଦୀ ସେ, ମାଲବାରୀ କୁମାରିକା ଏକ

ଅଙ୍ଗୁ ତାର ଖୋଲି ଦେଲା ସକଳ ଭୂଷଣ,

ହସ୍ତୁ ଦେଲା ଦୁଇଟି ଯା କନକ-କଙ୍କଣ

କଣ୍ଠ ତଟୁ ଫିଟାଇ ତା ଜମ୍ୱୁନଦ-ହାର

କୁତୁହଳେ ତୋଳି ଦେଲା ପୂଜା ଉପହାର,

ସବିସୟେ ଜିଜ୍ଞାସିଲେ ତହୁଁ ମହାତ୍ମାଜି,

‘‘ତୁମର ଏ ଦାନେ ତୁମ ପିତା ମାତା ରାଜି ?’’

ଉତ୍ତର ସେ ଦେଲା ନାହିଁ, ଆହୁରି ଦାନ ସେ

ସପି ଦେଲା ଉତ୍କଣ୍ଠିତ ଉତ୍‌ପୁଲ୍ଲ ମାନସେ,

କର୍ଣ୍ଣୁ ତାର ଦେଲା ପୁଣି ସ୍ୱର୍ଣ୍ଣ ଅବତଂସ

ଅଧର ନୟନ ତାର ଦୀପ୍ତ ହସ ହସ

ନବ ରାଗେ ।

 

ପଚାରିଲେ ପୁଣି ମହାତ୍ମାଜି,

 

‘‘ତୁମର ଏ ଦାନେ ତୁମ ପିତା ମାତା ରାଜି ?’’

ମହତ କରମେ ମୋର ଅଳଙ୍କାରମାନ

ଅନାବିଳ ମନେ ମୁଁ ତ କରୁଅଛି ଦାନ

ମହାତ୍ମା ଚରଣେ ତଳେ, ତେବେ କାହିଁ ପାଇଁ

ଏଥି ମୋର ପିତା ମାତା ରାଜି ହେବେ ନାହିଁ ?’’

 

ବଳିକାର ଅବଦାନ, ବାଳିକାର କଥା

ସଚକିତେ ଦେଖୁଥିଲା ବିପୁଳ ଜନତା ।

 

ଧୀରେ-ଅତି ଧୀରେ ପୁଣି ପୁଛିଲେ ବାପୁଜି

‘‘କଲ୍ୟାଣୀଗୋ, ଏଥି ସବୁ ପାରୁଚ ତ ବୁଝି ?

ଦେଉଚ ଏ ଅଳଙ୍କାର ଏ ଯେ ଆଭରଣ

ଆଉ ତ ପିନ୍ଧିବା ଲାଗି ନ କରିବ ମନ

ସୁଦୀର୍ଘ ଏ ଜୀବନେ ତୁମର ?’’

 

‘‘ମହାତ୍ମନ୍‌,

 

ସକଳ ପାରିଚି ବୁଝି ଏ ମୋହର ମନ,

ସ୍ୱର୍ଣ୍ଣ ରୌପ୍ୟ ଅଳଙ୍କାର ଅଙ୍ଗ-ଆଭରଣ

ନୁହଇ ନାରୀର କେତେ ଏକାନ୍ତ ଭୂଷଣ ।

ହୃଦର ସଦ୍‌ଗୁଣ ରାଜି ହୃଦୟ-ରଞ୍ଜନ

ଚିର ଅମଳିନ ତାହା କରିବି ଅର୍ଜନ ।

ଆଶୀର୍ବାଦ କର ମତେ ନ ଲୋଡ଼ିବି ଦୀନ

ଅଳଙ୍କାର ।’’

 

ବାଳିକାର ହୃଦୟେ ସେଦିନ

ଦେଖି ପାରିଲେ ସେ ଏକ ଅପାର୍ଥିବ ବଳ

ନବଭାବ, ଶୁକ୍ତି ବୁକେ ନବ ମୁକ୍ତାଫଳ ।

 

‘‘ଅବଦାତ୍ରି, ଆଶୀର୍ବାଦ ଘେନ ମୋର ଆଜ,’’

ଆନନ୍ଦ-ଗଦ୍‌ଗଦ ଭାଷେ ଗାନ୍ଧି ମହାରାଜ

ଜଣାଇଲେ ‘‘ତୁମେ ଯେଉଁ ଅଳଙ୍କାରମାନ

ହରିଜନ-ଉନ୍ନୟନେ ତୋଳି ଦେଇ ଦାନ

ମୋର କରେ, ମୂଲ୍ୟ ତାର ଜାଣିବି ମୁଁ ସିନା,

ମାତ୍ର ଯେଉଁ ଅବଦାନ ଆଗୋ ଅର୍ବାଚୀନା

ଏ ଧରଣୀ ବକ୍ଷ ପରେ ଗଲ ତୁମେ କରି

ମୂଲ୍ୟ ତାର ଆଜି ମୁଁ ତ ନ ପାରିବି କଳି ।’’

***

 

କଟନିସ୍‌-ସେ ତ ମରିନାହିଁ

 

ସୁଦୂର ଚାଇନା ସମରାଙ୍ଗନୁ

କଟନିସ୍‌ ଆଉ ଫେରି ନାହିଁ,

କିଏ ସେ କହୁଚି ମରିଗଲା ବୋଲି

ମୁଁ କହୁଚି ସେ ତ ମରିନାହିଁ ।

 

ଭାରତର ନୁହେ ଚାଇନାର ନୁହେ

ଆଜି ସେ ତ ସାରା ଭୁବନର,

ଅସ୍ତହୀନ ସେ ଦୀପ୍ତ ତାରକା

ନିଖିଳ ହୃଦୟ ଗଗନର ।

 

କିପରି ମରିବ ?

ମରିନାହିଁ ସେ ତ ମରିନାହିଁ

କିଏ ସେ କହୁଚି ମରିଗଲା ବୋଲି

ଯେ କହୁଚି ସେ ତ ଆତତାୟୀ ।

 

ଚାଇନାର ବୁକେ ଜାପାନର ଦେଖି

ହିଂସା ସମର ଲୀଳା

 

 

ଭାରତ ଆମର ସମବେଦନାର

ସୈନ୍ୟ ପଠାଇ ଥିଲା ।

 

ବକ୍ଷେ ନ ଦେଇ ହିଂସ୍ର ବାସନା

ଅସ୍ତ୍ର ନ ଦେଇ କରେ

ମଣିଷ ସେବାର ଧୈର୍ଯ୍ୟ ସାଧନା

ଦେଇଥିଲ ଅନ୍ତରେ ।

 

ସେ ଦଳର ଏକ ଯୋଦ୍ଧା ଥିଲା ସେ

ତ୍ୟାଗର ଦୀକ୍ଷା ବରି

ଚାଇନାର ବୁକେ ଯାଇଥିଲା ତାର

ଦୀପ୍ତ ଜୀବନ ଧରି ।

 

କମାଣ ଜାଳଇ ମଣିଷ ଜୀବନ

ଗୁଳି ଯେଉଁଠାରେ ଦାଗେ

ମଣିଷର ସେବା କରୁଥିଲା ସିଏ

କରାଳ ସେ ଭୂଇଁ ଭାଗେ ।

 

ଚାହୁଁ ଚାହୁଁ ସିଏ ଅପରିଚିତରେ

କରିଅଛି ଆପଣାର

 

 

ସମବେଦନାରେ ଢାଳି ଦେଇଅଛି

ନୟନର ଲୁହଧାର ।

 

ଧୋଇ ଅଛି ସେଇ ନୟନର ଲୁହେ

କେତେ ଆହତର ଲହୁ,

ଆହତ ଜନର ଦୁଃଖ ମୋଚନେ

ଆଘାତ ସହିଚି ବହୁ ।

 

ନିଃଶେଷ କରି ଦେଇଚି ନିଜକୁ

ପରପାଇଁ

କିଏ ସେ କହୁଚି ମରିଗଲା ବୋଲି

ମୁଁ କହୁଚି ସେ ତ ମରିନାହିଁ ।

 

ଚାଇନା ଭୂଇଁରେ ରକତ ଢାଳିଚି

ଶରୀର ଦେଇଚି ଢାଳି,

ସାରା ଦେଶଟାରେ ତ୍ୟାଗର ବୀଜ ସେ

ଦେଇଚି ଉପ୍ତ କରି ।

 

ଚାଇନା ଦେଶର ହଜାର ହଜାର

ହୃଦ ଆବରଣ ଚିରି

ଭରି ଦେଇଅଛି ଧୈର୍ଯ୍ୟ ସାଧନା

ତ୍ୟାଗର ଅରୁଣ ଶିରୀ ।

 

ଚାହାଁରେ ଭାରତ ଉତ୍ତର ନଭେ

ଧ୍ରୁବ ତାରକାର ପ୍ରାଣେ

ଆତ୍ମା ତାହାର ଜଳି ଉଠୁଅଛି

ଦିବ୍ୟ ଆଲୋକ ଗାନେ ।

 

ପରାଣେ ପରାଣେ       ଅମର ଜୀବନେ

ବଞ୍ଚି ରହିଚି ସେଥିପାଇଁ

କିଏ ସେ କହୁଚି ମରିଗଲା ବୋଲି

ମୁଁ କହୁଛି ସେତ ମରି ନାହିଁ ।

***

 

ଘାସ-ଫୁଲ

 

ନାହିଁ ମୋର ସଉରଭ, ନାହିଁ ମୋର ମଧୁ

ଭ୍ରମର କହେ ନା ମତେ ପ୍ରୀତି-ଗୁଞ୍ଜ ଗିରେ;

ଚିକୁର ମଣ୍ଡନେ ମତେ ଘେନେ ନାହିଁ ବଧୂ

ଚଢ଼େ ନାହିଁ କେବେ ମୁଁ ତ ଦେବତାର ଶିରେ ।

 

କ୍ଷୁଦ୍ର ମୁହିଁ ପଡ଼ିଥାଏ ସଦା ଭୂମିତଳେ

ଧରି କ୍ଷୁଦ୍ର ଜୀବନର କ୍ଷୁଦ୍ର ଇତିହାସ;

ପ୍ରଭାତେ ବିନ୍ଦୁଏ ହିମ ଧରି ବକ୍ଷସ୍ଥଳେ

ମୁଁ ମୋର ଦେଖାଏ ଭବେ ଅଶ୍ରୁ ଧୁଆ ହାସ ।

 

ଲୋଡ଼େ ନାହିଁ କେବେ ମୁଁ ତ କାହାର ସୌଭାଗ୍ୟ,

ଚଢ଼ିବାକୁ ଦେବତାର ମସ୍ତକ ଉପରେ,

ଲୋଡ଼େ କିନ୍ତୁ ନିଖିଳର ଚରଣ-ପରାଗ;

ଶିରେ ମୋର ପାଦ ଦେଇ ଯାଆନ୍ତୁ ସକଳେ ।

 

ତହିଁ ମୋର ମହାନନ୍ଦ ତହିଁ ମୋର ତୁଷ୍ଟି

ତହିଁ ମୋର ମଧୁମୟ ଜୀବନର ସୃଷ୍ଟି ।

***

 

ବିଦ୍ୟୁତ

 

ନୀଳମେଘୁ ଝରିପଡ଼େ ନବ ବୃଷ୍ଟି ଧାରା

ବଜ୍ର ଲମ୍ଫେ, ଦିଗକମ୍ପେ ଥରେ ସୃଷ୍ଟି ସାରା

ହେ ବିଦ୍ୟୁତ, ଘନ ମେଘ ସ୍ତର ଭିନ୍ନ କରି

ଗୋଟିଏ ମୁହୂର୍ତ୍ତ ପାଇଁ ଉଠୁ ତୁହି ଜଳି ।

 

ଅନ୍ଧକାରେ କରି ଦେଉ ଆଲୋକ ବିକାଶ

ଅଶ୍ରୁ ବରଷାର ଦେଶେ ସୃଜି ଦେଉ ହାସ ।

ହତାଶାର ରୁଦ୍ଧପଥେ ଝଲକାଉ ଆଶା

ମୂକ ମୁଖେ ଭରିଦେଉ ପ୍ରାଣ-ଖୋଲା ଭାଷା ।

 

ମୁହୂର୍ତ୍ତକ ଲାଗି ଏ ଯେ ଉନ୍ମେଷ ତୋହର

ଜନମ ତୋହର ତହିଁ ସାର୍ଥକ ସଫଳ ।

ଜୀବନ ସାର୍ଥକ ନୁହେଁ ଶତବର୍ଷ ମାସେ

ଜୀବନ ସଫଳ ଏକା ମୁହୂର୍ତ୍ତ ବିକାଶେ ।

 

ଅଳପ ହୁଅନ୍ତା ପଛେ ଜୀବନ ମୋହର

ହୁଅନ୍ତା କି ତୋହ ପରି ଉଜ୍ଜ୍ୱଳ ସୁନ୍ଦର ।

***

 

କୃଷ୍ଣଚକ୍ର ଗଡ଼

 

 

ଫେରି ଚାହାଁ ଥରେ ଫେରିଚାହାଁ ଆଜି

କୃଷ୍ଣଚକ୍ର ଗଡ଼

ଆଜି ପୁଞ୍ଜିତ ଅନ୍ଧାର କାଟି

ଆସିଚି ଆଲୋକ ଝଡ଼ ।

 

ଏତେଦିନ ପରେ ଶାସକ ଆମର

ପରଦେଶୀ ସରକାର

ଜାଲିୟାତ୍‌ ଛାଡ଼ି ଚାଲି ଯାଇଅଛି

ସିନ୍ଧୁର ଆର ପାର ।

 

ଭାରତ ଜନନୀ ପାଇଅଛି ଆଜି

ମୁକ୍ତିର ଗଉରବ

ପଥେ ପଥେ ଦେଖ ଉଛୁଳି ପଡ଼ୁଚି

ଉତ୍ସବ କଳରବ ।

 

 

 

ଜାଗରେ ଶହୀଦ ଜାଗ

ପ୍ରାଣଭରା ଏଇ ଉତ୍ସବେ ଆଜି

ଅଛିରେ ତୋହର ଭାଗ ।

 

 

ଶହେ ବର୍ଷର ତଳେ

ଝାଡ଼ଖଣ୍ଡରେ ବିପ୍ଳବ ନିଆଁ

ଜାଳି ଦେଇଥିଲୁ ଥରେ ।

 

ଆମ ଓଡ଼ିଶାରୁ ବିଦେଶୀ ଶାସନ

ଦୂର କରିଦେବା ଲାଗି

ଆଗ୍ନେୟ ଗିରି ପରାଏ ଦର୍ପେ

ତୁହି ଉଠିଥିଲୁ ଜାଗି ।

 

ପଠାଇଥିଲୁ ତୋ ପାଇକ ବାହିନୀ

ଦୁର୍ବାର ନିର୍ଭୟ

ଶୁଣାଇଥିଲୁ ତୋ ରଣ-ଦୁନ୍ଦୁଭି

ବନ-ଜଙ୍ଗଲ-ମୟ ।

 

 

 

‘‘କାଳ ମରଣର ଭକ୍ତ ଆମେରେ

ରକ୍ତ ଆମର ତାଜା

ବିଦେଶୀ ଏ ଦେଶୁ ଚାଲିଯାଅ ତମେ

ଆମେଇ ଆମର ରାଜା ।’’

 

ସିନ୍ଧୁ, ଭୁବନ ସେନାପତି ତୋର

ଛାଡ଼ିଥିଲେ ଯେଉଁ ଡାକ

ବଣ ନିଆଁ ପରି ବଣ ଜଙ୍ଗଲେ

ମାତିଗଲା ଚାରିପାଖ ।

 

ପତଙ୍ଗ ପରି ଶହ ଶହ ଯୁବା

ସେଇ ଶିଖା ନେଲେ ବର

ବାହାରି ପଡ଼ିଲେ ନଳି ବନ୍ଧୁକ

ଅସି ଧନୁଶର ଧରି ।

 

ବିଜୟ ଲକ୍ଷ୍ମୀ ପାଇ ପାରିଲୁ କି?

ବାହାରି ଥିଲୁ ଯେ ତେଜେ

ଭାଗ୍ୟ ଲିପିର ବଞ୍ଚନାରେ ତୁ

ଶୋଇଲୁ ମରଣ ଶେଯେ ।

 

ଅକ୍ଷୟ ତୋର ବକ୍ଷତଳର

ରକ୍ତର ଢେଉ ଢାଳି

ଦେଶ ଜନନୀର ଚରଣ ପୂଜିଲ

ରକ୍ତ-ମଶାଲ ଜାଳି ।

 

ବିଫଳ ହେଲା କି ତୋର ଅଭିଯାନ

ତୋର ମୁକ୍ତିର ରଣ

କାଳ-ବକ୍ଷରେ ଲାଲ ଅକ୍ଷରେ

ରଖିଗଲୁ ତୋର ପଣ ।

 

ଶତେକ ବର୍ଷ ପରେ,

ସପନ ତୋହର ସଫଳ ହୋଇଚି

ଦେଖ ଆଜି, ଭାରତରେ ।

 

 

ଝାଡ଼ଖଣ୍ଡର ଗୁପ୍ତ ଗଡ଼ ତୁ

ଅନ୍‌ଗୁଳ ଗୌରବ,

ଦିଗ ବିଦିଗରେ ବାଜିଉଠୁଅଛି

ଜୀବନର କଳରବ ।

 

ରୁଦ୍ର ତାଳରେ ମହାକାଳ ଏ ଯେ

ନାଚିଉଠେ ଚାରିପାଖେ

ମୃତ୍ୟୁର କୋଳୁ ଜାଗ ମୁର୍ଦ୍ଦାର

ଗଡ଼ନାୟକ ମୁଁ ଡାକେ ।

 

ଜାଗରେ ଶହୀଦ ଜାଗ,

ପ୍ରାଣ-ଭରା ଏଇ ଉତ୍ସବେ ଆଜି

ଅଛିରେ ତୋହର ଭାଗ ।

***

 

ବ୍ୟଥିତର ଗୀତ

 

ବିଶାଳ ଧରଣୀ ଭୂଇଁ

ଏକା କି ବ୍ୟଥିତ ମୁହିଁ

ଏକା ମୋର ଆଖି ପୂରେ ଜଳେ ଗୋ

ଦିନ ନାହିଁ, ରାତି ନାହିଁ,

କେତେ ପରାଣ ତ କାହିଁ

ଶତ ବ୍ୟଥା ନଇରାଶେ ମରେ ଗୋ

 

କେତେ କେତେ ମଞ୍ଜୁଳ

ବନର ମାଳତୀ ପୁଲ

ଫୁଟି ଝରେ ଜଗତର ଉହାଡେ,

କେତେ ଯେ କପୋତ ନିତି

ବୁକୁର ବିଧୁର ଗୀତି

ଗାଇ ବୁଲେ ବନ ଗିରି-ପାହାଡ଼େ ।

 

କେତେ ନଦୀ, କେତେ ନଦ

ଛାଡ଼ି ଗୀତ ଗଦ୍‌ଗଦ

ନିଦାଘେ ରହଇ ଅତି ମଉନେ,

କେତେ ମରୁ ଦିଗ-ହୀନ

ପଡ଼ିଥାଏ ନିଶି ଦିନ

ଜଗତର ଉତ୍ସବ ବିହୁନେ ।

 

କେତେ ପୂର୍ଣ୍ଣମୀ-ଶଶୀ

ଗଗନେ ନ ଉଠୁ ହସି

ଗ୍ରାସିଦିଏ ଘୋର ଘନ ଘଟା ଗୋ,

ସାଗରେ କେତେ ଜୁଆର

ଛାତି ଫୁଲାଇ ବାହାର

ହେଉ ହେଉ ପଡ଼ିଯାଏ ଭଟା ଗୋ ।

 

ବିଶାଳ ଏ ଧରା ଭୂଇଁ

ଏକା କି ବ୍ୟଥିତ ମୁହିଁ

ଶତ ଶତ ରହିଥିବେ ମୋ ପରି

ହତାଶ ମୁଁ ହେବି କିଆଁ ?

ନନ୍ଦିତ କରି ହିୟା

ଗାଇବି ଜୀବନ-ଗୀତି-ଲହରୀ ।

***

 

ଗୋପବନ୍ଧୁ ହେ ଚଞ୍ଚଳ ଆସ ଫେରି

 

ମୃତ୍ୟୁର ଲୋକେ ଯାଇଚ ଦେଶର ନେତା,

ମୃତ୍ୟୁ-ବିଜୟୀ ବିପ୍ଳବୀ ନଚିକେତା ।

ଜନ୍ମ ଭୂଇଁର ମୁକ୍ତି ତୁମର ପଣ

ମୃତ୍ୟୁର ପୁରେ କରାଉଚ ତୁମେ

ଜୀବନର ଜାଗରଣ ।

 

ତୁମେ ତ ଆସିବ ଫେରି,

ସାର୍ଦ୍ଧ ଯୁଗ ଏ ବହି ଗଲାଣି ତ

ଆଉ କାହିଁ ପାଇଁ ଡେରି ?

 

ଦିଲ୍ଲୀର ଲାଲ ଦୁର୍ଗ ଦୁଆରେ

ଜାଗ୍ରତ କୋଳାହଳ

ଭାରତର ହାତୁ ତୁଟି ପଡ଼ୁଅଛି

ବନ୍ଧନ-ଶୃଙ୍ଖଳ ।

 

ଚାହିଁ ଦେଖ, ଚାହିଁ ଦେଖ

ଭାରତ ଭୂଇଁର ସିଂହ ଆସନେ

ଆଜି ନୂଆ ଅଭିଷେକ ।

 

ଗୋପବନ୍ଧୁ ହେ, ଆଉ କାହିଁ ପାଇଁ ଡେରି

ସ୍ୱାଧୀନ ଭାରତେ ଚଞ୍ଚଳ ଆସ ଫେରି ।

***

 

ହିନ୍ଦୁ-ମୁସଲମାନ

 

କଳା ବର୍ଣ୍ଣର ଧୂମ ନିଃଶ୍ୱାସ

ଅମ୍ୱର ପଥେ ଛାଡ଼ି

ଇଷ୍ଟେସନର ବକ୍ଷ ଉପରେ

ଛିଡ଼ା ହୋଇଗଲା ଗାଡ଼ି ।

 

ମିଳିତ କଣ୍ଠ ମିନତି ରଚିଲା

‘‘ଗୁର୍ଖା ସିପାହି ଭାଇ

ହିନ୍ଦୁ ହୋଇ କି ହୃଦୟେ ତୁମର

ବିନ୍ଦୁ କରୁଣା ନାହିଁ ?

 

କେତେଦିନ ହେଲା ଏ ଯୁଆଲାପୁରେ

ଆଶ୍ରା ନେଇଚୁ ବାବୁ,

ପ୍ରାଣ ଘେନି ଆମେ ପଳାଇ ଆସିଛୁ

ପଶ୍ଚିମ ପଞ୍ଜାବୁ ।

 

ସାହାରାନପୁରେ ଏ ଗାଡ଼ି ନେଉଚି

ବହୁତ ମୁସଲମାନ

 

 

କାଲି ସଂଧ୍ୟାରେ ଏଇଠାରୁ ଆମେ

ପାଇଅଛୁ ସଂଧାନ ।

 

ମରମ ଭିତରୁ ଡାକ ଉଠୁଅଛି

ପ୍ରତିଶୋଧ, ପ୍ରତିଶୋଧ

ଦୁଆର ଟିକିଏ ଖୋଲିଦିଅ ବାବୁ

ମନ କରିନେଉ ବୋଧ ।’’

 

ଗୁର୍ଖା ଫଉଜ ଦର୍ପ ଦେଖାଇ

ଗର୍ଜି ଉଠିଲା ରାଗେ

‘‘ଆମରି ହାତର ବନ୍ଧୁକମାନ

ପଡ଼ୁଚି ତ ଆଖି ଆଗେ ?

 

କରୁଣା କରୁଚୁ ଯାଅ ଚାଲିଯାଅ

ଛାଡି ଏ ଇଷ୍ଟେସନ

ବଞ୍ଚାଇଚ ଯେ ଆତ୍ମା କାହିଁକି

ହରାଇବ ଅକାରଣ’’ ।

 

ମତ୍ତ ଜନତା ଉତ୍ତର ଦେଲା

‘‘କି କହୁଚ ତୁମେମାନେ

 

 

କିପରି ଜାଣିବ ମରୁଚୁ ଆମେ ଯେ

ଲାଞ୍ଛନା ଅପମାନେ ।

 

ଘରଦ୍ୱାର ଅବା ଧନ ସଂପଦ

ଧ୍ୱଂସ ହୋଇଚି ଯାହା

ଦୁଇଦିନ ପରେ ଅର୍ଜି ପାରିବୁ

ଅଛି ତ ଆମର ବାହା ।

 

ଆମରି ଉପରେ ଯାହା ଯା କରିଚି

ଏ ମୁସଲମାନ ଜାତି

ସେ ସବୁର ସ୍ମୃତି ମର୍ମେ ରହିଚି

ରକ୍ତ ରହିଚି ତାତି ।

 

ଦଗ୍ଧ ହୋଇଚି ଘର ସଂସାର

ସ୍ନେହ ମମତାର, ଭିଡ଼,

କାହିଁ ଅଛି ନାରୀ କାହିଁ ବା ପୁରୁଷ

ନଷ୍ଟ ଆମର ନୀଡ଼ ।

 

ମରମ ଭିତରୁ ଡାକ ଉଠୁଅଛି

ପ୍ରତିଶୋଧ, ପ୍ରତିଶୋଧ

ଦୁଆର ଟିକିଏ ଖୋଲିଦିଅ ବାବୁ,

ମନ କରି ନେଉ ବୋଧ ।’’

 

‘‘କିପରି କରିବୁ’’ ସିପାହି କହିଲେ

ଯା ଚାହୁଁଚ ତୁମେମାନେ

ସର୍କାର ଯେଉଁ ହୁକୁମ ଦେଇଚି

ତାହାହିଁ ପାଳିବୁ ଆମେ ।

 

ଡେରାଡୁନ୍‌ ଠାରୁ ଉଦ୍ଧାର କରି

ଅଭାଗା ଏ କେତେଜଣ

ସାହାରାନ୍‌ପୁରେ ନେଇ ଯାଉଅଛୁ

ଛାଡ଼ିଦିଅ ତୁମ ପଣ ।

 

ବୁଝୁଅଛୁ ତୁମ ବିକ୍ଷୋଭ ଆଜି

ଜୀବନର ସଂଗ୍ରାମେ

ଅଭାଗା ଏ ସବୁ ଶରଣାର୍ଥୀରେ

ରକ୍ଷା କରିବୁ ଆମେ ।’’

 

‘‘ପାକିସ୍ଥାନର ସର୍କାର ତେଣେ

କଅଣ କରୁଚି ଜାଣ

 

 

ହିନ୍ଦୁ ଜାତିର ଧ୍ୱଂସ ସକାଶେ

ଗଢ଼ୁଚି ଉପାୟ ମାନ ।

 

ଦୁନିଆ ଯାକର ଆତତାୟୀ ଆଣି

କରାଉଚି ଏକଜୁଟ୍‌

ହିନ୍ଦୁ ଜାତିର ଇଜ୍ଜତ ଜାନ

ସବୁ କରାଉଚି ଲୁଟ୍‌ ।

 

ମାତ୍ର ଆମର ସର୍କାର ଏଣେ

କରାଉଚି ପ୍ରତିରୋଧ

କେଉଁ ପରି ଆମେ ଅବମାନନାର

ନେବୁ ଆଜି ପ୍ରତିଶୋଧ ।’’

 

‘‘ତୁମେ ତ ଜାଣିଚ କେତେ ଦିନ ତଳେ

ନୂଆଖାଲି କଥା ଲାଗି

ମୁସଲମାନରେ ହତ୍ୟା କରିଲା

ବିହାର ସେଦିନ ଜାଗି ।

 

ଜବାହର ଲାଲ ହୁକୁମ ଦେଲେ ଯେ

ବିହାର ଭୂଇଁର ବୁକେ

ହଜାର ହଜାର ହିନ୍ଦୁ ଝଡ଼ିଲେ

ଗୁଳି ବନ୍ଧୁକ ମୁଖେ ।

 

ସେହି ସର୍କାର ଆମ ଭାରତରେ

ଶାସନ କରୁଚି ଆଜି

ପରିଣାମ କିଛି ଭାବି ପାରୁନାହିଁ

ଦେଖୁଚ କି ଛାୟା ବାଜି ?

 

ବହୁତ ଆମେରେ କରୁଣା କଲୁଣି

ଦେଲୁଣି ବହୁତ ବେଳ

ବନ୍ଧୁକ ଆଗେ ଅକାରଣ ଆଉ

ବର ନା ମରଣ ଖେଳ ।’’

 

‘‘କାହାକୁ ଆମେରେ ମିନତି କରୁଚୁ,

ମରଣ ଯେ ଆମ ଖେଳ,’’

ଆଖିର ନିମେଷେ ଜନତା-ସିନ୍ଧୁ

ହୋଇଗଲା ଉଦ୍‌ବେଳ ।

 

କଣ୍ଠର ରୋଳେ କାହା କଥା ଆଉ

କେହି ନ ଶୁଣିଲେ ଜମା

 

 

ବାତାୟନ ପଥେ ଗାଡ଼ି ଭିତରକୁ

ଫିଙ୍ଗିଲେ ହାତ ବୋମା ।

 

ଗାଡ଼ିର ଭିତରେ ଶହ ଶହ ଲୋକ

ଟଳି ପଡ଼ିବାର ଦେଖି

ଗୁର୍ଖା ସିପାହି କଅଣ କରିବେ

ବନ୍ଧୁକ ଦେଲେ ଟେକି ।

 

ଗୁଡୁମ ଗୁଡୁମ ନିର୍ଘୋଷେ ତହୁଁ

ଫୁଟାଇଲେ ବନ୍ଧୁକ

ଗୁଳି ମୁଖେ ତହିଁ ଭୁକ୍ତ ହୋଇଲେ

କେତୋଟି ମୃତ୍ୟୁ-ଭୂକ୍‌ ।

 

ଇଂରେଜ ଛାଡ଼ି ଯାଇଅଛି ଭଲା

ଜ୍ଞାନ-ବୃକ୍ଷର ଫଳ

ଯାହାକୁ ଖାଇଲେ ଜଗତରେ କାର

ହେବ ନାହିଁ ମଙ୍ଗଳ ।

 

ସେଇ ଫଳ ଖାଇ ଆମ ଦେଶେ ଆଜି

ହିନ୍ଦୁ ମୁସଲମାନ

ରକ୍ତରେ ହାୟ ନରକ ଗଢ଼ୁଚ

ଗଢ଼ୁଚୁ ଜାହାନାମ ।

***

 

ନବ ଉତ୍କଳ

 

ନବଜାତକ ମୋ ନବ ଉତ୍କଳ

ନିଖିଳ ଭାରତେ ତୋଳିଚି ମଥା

କୋଟି ଅନ୍ତରେ ଉଛୁଳଇ ଆଜି

ନବ ଭାବ, ନବ ପ୍ରଫୁଲ୍ଲତା ।

 

ରାଜା ଫେରି ଅଛି ଦୀନ ଅଙ୍ଗନେ

ରାଜା ବସିଅଛି କୃଷକ ମେଳେ

ଦେଶର ଜାତିର ଇତିହାସ ବୁକେ

ନବ ମୟୁଖର କାନ୍ତି ଖେଳେ ।

 

ମହୋଦଧି ଆଜି ନାଚି ଉଠୁଅଛି

ଲୋକ ହିଲ୍ଲୋଳ ନୃତ୍ୟ ତାଳେ

କମ୍ପିତ ଲୀଳା-ଭଙ୍ଗେ ଚିଲିକା

ଡାକଇ ସଜନୀ ଅଂଶୁପାରେ ।

 

ସ୍ଫୀତ ବକ୍ଷରେ ମହାନଦୀ କହେ

‘‘କାରା ବରିଥିଲେ ଆମରି ଗାନ୍ଧି

 

 

ମୋହରି ଦେଶର ମଙ୍ଗଳ ଲାଗି

ବନ୍ଧୁ ମୁଁ ବୁକେ ନେଉଚି ବାନ୍ଧି ।’’

 

ବ୍ରାହ୍ମୀ କହଇ ଋଷିକୁଲ୍ୟାରେ

‘‘ବରି ନେଇ ତାର ଜୀବନ ଆମେ,

ଭରି ଦେବା ଆମ ଜନ୍ମମାଟିକି

ଫୁଲ-ଫଳ-ତୃଣ-ଶସ୍ୟ-ଦାମେ ।’’

 

କୋରାପୁଟ୍‌ ବନେ ଡୁଡ଼ୁମା ନାଚଇ

‘‘କାନନ ରୋଦନ ହୋଇଚି ଶେଷ,

ଦୀପ୍ତ ଆଲୋକେ ଅନ୍ଧାର କାଟି

ଆମେଇ ସବିବା ଆମର ଦେଶ ।’’

 

ସମ୍ୱଲପୁରେ ନୃସିଂହ ନାଥ

ଦେବଗଡ଼ ଧାରେ ପ୍ରଧାନପାଟ

ବଣେଇ ଗହନେ ଖଣ୍ଡାଧାର ତା’

ଶୁଣି ଉଲ୍ଲାସେ କରଇ ନାଟ ।

 

ବାୟୁ-ହିଲ୍ଲୋଳେ ସଞ୍ଚରେ ଆଜି

ବଡ଼ ଦେଉଳରେ ହର୍ଷବାଣୀ,

 

 

‘‘ପାଷାଣ ବୁକୁରେ ପଦ ଫୁଟିବ

ଦେଶରେ ହସିବ ଶିଳ୍ପରାଣୀ ।’’

 

ଭଗ୍ନ ଶରୀରେ ଆଶା ସଞ୍ଚାରି

କୋଣାରକ ଚାହେଁ ଧଉଳୀ ମୁଖେ,

ଖିଚିଂ ହରଷେ ମଥାଟି ତୋଳଇ

ମୟୁଭଞ୍ଜ-କାନନ-ବୁକେ ।

 

ଭୁବନେଶ୍ୱର ବକ୍ଷ ଭିତରେ

ଉଛୁଳି ପଡ଼ଇ ଆହୁରି ଆଶା

‘‘ଆମେ ଫୁଟାଇବା ଦେଶର ବାସନା

ଆମେ ଫୁଟାଇବା ଜାତିର ଭାଷା ।’’

 

ସଜାଗ ଆମର ବାରବାଟୀ ଗଡ଼

ଚୌଦ୍ୱାରେ ଚାହିଁ ଖୋଇଲ ପ୍ରାଣ

‘‘ଆମେରେ ଗଢ଼ିବା ନବ ଇତିହାସ

ଆମେଇ ଗଢ଼ିବା ଜାତିର ମାନ ।’’

 

ଗିରିବନ ପଥେ ଖଣି ଅନ୍ଧାରେ

ବନ୍ଦିନୀ ଧାତୁ ତୋଳଇ ସ୍ୱର

‘‘ଏଥର ଜାଣିରେ ମୁକ୍ତ ହୋଇଲା

ରୁଦ୍ଧ ସକଳ ଦୁଆର ମୋର ।’’

 

ଏଥର ଯାଇ ମୁଁ ମୁକ୍ତି ଆଲୋକେ

ଘରେ ଘରେ ମୋର ଆସନ ନେବି

ମର ଜୀବନରେ ଧନ୍ୟ ହୋଇବି

ଦେଶ ଜନତାର ଚରଣ ସେବି ।’’

 

ନବଜାତକ ମୋ ନବ ଉତ୍କଳ

ନିଖିଳ ଭାରତେ ତୋଳିଚି ମଥା

କୋଟି ଅନ୍ତରେ ଉଛୁଳଇ ଆଜି

ନବ ଭାବ ନବ ପ୍ରଫୁଲ୍ଲତା ।

***

 

ଶରତ-ନଈ-କୂଳେ

 

 

ଶରତ-ନଈ-କୂଳେ

ବସିଚି ମୁହିଁ ଛାୟା-ଛଇଳ

ଆମ୍ର-ତରୁ-ମୂଳେ ।

ପ୍ରକୃତିର ସବୁଜ କୋଳ

ଏ ମୋର ମନ ହେଉଚି ଭୋଳ

ନୟନ ମମ

ଭମର ସମ

ମାଧୁରୀ ଚାଖି ବୁଲେ

ଶରତ-ନଈ କୂଳେ ।

 

 

ନଈର ଜଳ-ଧାରା

ଚାଲିଚି ଛାଇ-ଆଲୁଅତଳେ

ଦିଶୁଚି ମନହାରା

ହଲାଇ ଗଛ-ପତର-ରାଶି

ସମୀର ଧୀରେ ପଡ଼ୁଚି ଝାସି,

ଗୋଟିକି ଗୋଟି

ପଡ଼ୁଚି ଲୋଟି

ଚପଳ ଢେଉମାଳା

ନଈର ଜଳ-ଧାରା ।

 

 

ସ୍ରୋତର ଏକ ପାଶେ

ଧିଆନୀ ବକ ଚାଲିଚି ତାର

ମୀନ-ମୃଗୟା-ଆଶେ ।

ପାଉଚି ଯାହା ପରମ ସୁଖେ

ଭରି ଦେଉଚି ଆପଣା ମୁଖେ

ମାଛରଙ୍କା

ଝାମ୍ପ ମାରି

ଉଠଇ ନୀଳାକାଶେ

ସ୍ରୋତର ଏକ ପାଶେ ।

 

 

 

 

ପାଖରେ ଏଇ ପଠା

କାଉଁଶିବନ ଦିଶୁଛି ତହିଁ

ସତେ କି ଧଳା ଜଟା

ତାହାରି ପାଶେ ଚକୋଈ ସଙ୍ଗେ

ଚକୁଆ ଖେଳା କରୁଚି ରଙ୍ଗେ

ଭଦାଳିଆଟି

ଚକ୍‌ର କାଟି

ଦେଖାଏ ରୂପ ଛଟା,

ପାଖରେ ଏଇ ପଠା ।

 

 

ନଈର ଆରପାରେ

ଦିଶୁଛି ଗାଈ ବାଛୁରି ପଲ

ସବୁଜ ପଡ଼ିଆରେ;

ଗୋପାଳ ସୁତ କେଉଁଠି ବସି

ବଇଁଶୀ ସୁରେ ଯାଇଚି ରସି,

ମୂର୍ଚ୍ଛନାଟି

ଆସୁଚି ମାତି

ମଧୁର ଝଙ୍କାରେ

ନଈର ଏଇ ଧାରେ ।

 

 

ନଈର ଏଇ କୂଳେ,

ଶେଫାଳି ଫୁଲ ଆକୁଳ କରି

ଫୁଟିଚି ଯାଇ ଦୂରେ ।

ମଧୁର ତା’ର ମହକ ରାଶି

ଧୀର ଲହରେ ଆସୁଚି ଭାସି,

ଆବେଶ-ଭୋଳ

ଚିତ୍ତ ମୋର

ତାହାରି ସାଥେ ଘୂରେ;

ନଈର ଏଇ କୂଳେ ।

 

 

ସେତିକି ବେଳେ ତହିଁ,

ଶଙ୍ଖଚିଲ ଉଠଇ ଡାକି

ଆକାଶେ ରହି ରହି ।

ଦୂରେ ଯେ ଥିଲେ ବାଳକ ଦଳ

ଉଚ୍ଚେ ମିଳି ତୋଳିଲେ ସ୍ୱର ।

‘‘ହେଇରେ ଭାଇ

ବିଜୟ ଶିରୀ’’

ନବ ପୁଲକ ବହି,

ସେତିକିବେଳେ ତହିଁ ।

 

 

ଆଜି ଏ ଲଗନରେ

ସୁନୀଳ ଏଇ ବଉଦ ଉଡ଼େ

ଚକ୍ରବାଳ ପରେ

ଆକାଶେ ମେଘ ତଳେ ଏ ନଈ

ମନରେ ମୋର ଦିଅଇ କହି

‘‘ସୃଷ୍ଟି ଧାମେ

ସୁଷମା ଆମେ

ଭରୁଚୁ ପଲକରେ,’’

ଆଜି ଏ ଲଗନରେ ।

 

ସୃଷ୍ଟିର ଅପମାନ

 

ଭଗବାନ, ଭଗବାନ,

କେଉଁ ଦେଶେ ବସି ଦେଖୁଅଛ ଆଜି

ସୃଷ୍ଟିର ଅପମାନ ।

 

ନିଜ ରୂପ ଦାନେ ମୁଗ୍ଧ ପରାଣେ

ବିଶ୍ୱ ଭୁବନ ଭୂମେ,

ଜୀବ ଜଗତରେ ସୃଷ୍ଟି ଉପରେ

ଗଢ଼ିଚ ଯାହାକୁ ତୁମେ;

 

ଦୀପ୍ତ ଯାହାର ଶୁଭ୍ର ଲଲାଟେ

ବିଜୟ ଆଲିମ୍ଫନ

ଆସିବାର ବେଳେ ଆଙ୍କି ଦେଇଚ

ମଙ୍ଗଳ ବିଭୂଷଣ;

 

ଦିବସ ନିଶିର ସଙ୍ଗମ ଶିରୀ

ପ୍ରଭାତ ପ୍ରଦୋଷ ପରି

ମର୍ତ୍ତ୍ୟେ ଆସିଚି ଦେବ ଦାନବର

କାମ୍ୟ ମିଳନ ଧରି ।

 

ପ୍ରିୟତମ ତୁମ ସୃଷ୍ଟି ସେଇ ଯେ

ଶ୍ରେଷ୍ଠ ମାନବ ଜାତି

ଅନ୍ଧ ପରାଏ ଛନ୍ଦ ହରାଇ

ଖୋଜୁଚି ନରକ ସାଥି ।

 

ଭଗବାନ, ଭଗବାନ,

କେଉଁ ଦେଶେ ବସି ଦେଖୁଅଛ ଆଜି

ସୃଷ୍ଟିର ଅପମାନ ।

 

ନିତି ଦେଖୁଅଛି ଶକୁନି ଶୃଗାଳ

ବିଶ୍ୱ ଧରଣୀତଳେ

ଜୀବନ ପୋଷଇ ପରାଣ ତୋଷଇ

ନିର୍ଜୀବ ଶବପରେ ।

 

ମାତ୍ର କଅଣ କରୁଚି ହାୟରେ

ସଭ୍ୟ ମାନବ ଜାତି

ବିକାର ନ ରଖି ମାନବ-ଶିକାର

କରୁଚି ଦିବସ ରାତି ।

 

ବିଜ୍ଞାନ-ଜାତ ଅଜ୍ଞାନ-ଜାତ

କମାଣ ଗୋଳାର ବଳେ

ଭସ୍ମ କରଇ ଧ୍ୱଂସ କରଇ

ପ୍ରବଳ ନିର୍ବଳରେ ।

 

ଲକ୍ଷ ଲକ୍ଷ ବର୍ଷର ତଳେ

ଜଗାଇ ଶଙ୍କା ଭୟ

ବଜ୍ରଆରବେ ବଜାଇ ହେଉଚି

ଆପଣାର ଜୟ ଜୟ ।

 

ଜୟ ପରାଜୟେ ହାନି ଲାଭେ ଯାର

କିଞ୍ଚିତ ନାହିଁ ଭାଗ,

କ୍ଷମତାର ଯୁଗେ ନିରୀହ ଜୀବନ

ବଳି ପଡ଼ୁଅଛି ଆଗ ।

 

ମାଟିର ଭକତ ବରଷ ଯା ଧରି

ଛାତିର ରକତ ଦେଇ

ମାଟିର ଉରସେ ସୁନାର ଫସଲ

ସୃଷ୍ଟି କରୁଚି ଏଇ ।

 

ରାଜାର ଶାସନ ପରଜା-ନାଶନ

କଳେ ବଳେ କୌଶଳେ

 

 

ଦଣ୍ଡକେ ତାହା ଲୁଣ୍ଠି ନେଉଚି

ସିଂହ ଆସନ ତଳେ ।

 

ପୀଡ଼ିତ ପରଜା ଜଣାଇଲେ ଯାଇ

ଦୈନ୍ୟ ବେଦନ-ଭାର,

ଲୁହାର ଫଉଜ ବନ୍ଧୁକ ମୁଖେ

ବିଚାର କରୁଚି ତାର ।

 

ଧର୍ମର ଧ୍ୱଜା ବାହାରେ ଉଡାଇ

ଧର୍ମର ଧନେ ଆଜ

ଦେହର ଓଜନ ବଢ଼ାଉଚି ଖାଲି

ମଠାଧୀଶ ମହାରାଜ ।

 

ଧର୍ମ ଜମାର ଖରଚ କରୁଚି

ଟିକିଏ ବିକାର ନାହିଁ ।

ଧର୍ମ ନୀତିରେ ଚରଣେ ଦଳୁଚି

ଟିକିଏ ବିକାର ନାହିଁ ।

 

ଦେଶ ବିଦେଶରେ ଦିଗ ବିଦିଗରେ

ପୁଞ୍ଜିପତିର ଦାଉ

ନିଖିଳ ଜଗତ ଗ୍ରାସି ଯାଉଅଛି

ଦଣ୍ଡକେ ଚାହୁଁ ଚାହୁଁ ।

 

ଦୁଃଖ-ଯାତନା କ୍ଳିଷ୍ଟ ଜୀବନ

ନିଃସ୍ୱ ଦଳିତ ଭାଇ

ଧରାତଳେ ମଥା ଗୁଂଜିବା ପାଇଁ

ଠାବ ପାଉନାହିଁ କାହିଁ ।

 

ଯନ୍ତ୍ରର ଯହିଁ ପୁଞ୍ଜିତ ଧୂମ

ଘୋଟିଅଛି ଭରପୂର

ରୁଦ୍ଧ ଶୁଆସେ ଶ୍ରମ କରି ତହିଁ

ମରୁଅଛି ମଜଦୂର ।

 

ଅମାବାସ୍ୟାର ଘନ ଅନ୍ଧାରେ

ତଡ଼ିତ ଦୀପାଳି ଖଚି

ଉଚ୍ଚ ରୁଚିର ହର୍ମ୍ୟେ ମାଲିକ

ପୂର୍ଣ୍ଣିମା ପାଳୁଅଛି ।

 

ସୃଷ୍ଟି ପାଳନେ ଯାହାହାତେ ତୁମେ

ଦେଇଚ ଯେ ଅଧିକାର

 

 

ଉଚିତ ବେଭାର ନ କରି ସେ ତାର

କରୁଅଛି ଅପଚାର ।

 

ଭଗବାନ, ଭଗବାନ,

କେଉଁ ଦେଶେ ବସି ଦଖୁଅଛ ଆଜି

ସୃଷ୍ଟିର ଅପମାନ ।

 

ମାନବ ସହଜେ ଭୁଲି ଯାଇଅଛି

ମାନବର ଅବଦାନ

ମାନବର ବୁକେ ଲକ୍ଷ୍ୟ କରି ସେ

ମାରୁଚି ଅନଳ ବାଣ ।

 

ଭୁବନ ଉରସେ ଆଜି ସେ ହୋଇଚି

ଅମଙ୍ଗଳର ହେତୁ

ଗଗନ ଉରସେ ଜାଗି ଉଠିଚି ସେ

ଧ୍ୱଂସର ଧୂମକେତୁ ।

 

ଯେ ପଥେ ତାହାର ଚରଣ ପଡ଼ଇ

ମଉଳଇ ତୃଣାବଳି

 

 

ଯେ ଦିଗେ ତାହାର ଦୃଷ୍ଟି ଯାଉଚି

ସକଳ ଯାଉଚି ଜଳି ।

 

ନିଃଶ୍ୱାସେ ତାର ବାୟୁମଣ୍ଡଳ

ଭୟେ ଉଠୁଅଛି ଥରି

ସକାତର ସାରା ପ୍ରକୃତି ଏଇ

ଯାଉଅଛି ଆଜି ଡରି ।

 

ଭଗବାନ, ଭଗବାନ,

କେଉଁ ଦେଶେ ବସି ଦେଖୁଅଛ ଆଜି

ସୃଷ୍ଟିର ଅପମାନ ।

***

 

ପତାକା ସଙ୍ଗୀତ

 

ଉଡ଼ଇ ଆମ ପତାକା ଏ ଯେ

ଜଗତେ ଅନୁପମ

ନମରେ ଆଜି ମୋ ଦେଶ ଭାଇ

ଏହାରି ତଳେ ନମ ।

 

ଆମରି ଦେଶ ଆମରି ଜାତି

ଏହାରି ଲାଗି ଦିବସ ରାତି

ଢାଳିଚି କେତେ ଲୁହ ଓ ଲହୁ

ନାହିଁ ତ ତାର ସମ ।

 

ସହିଚି କେତେ ଦମନ ଲୀଳା

ବୁଲେଟଣ-ଗୁଳି-ମାଡ଼

ଏହାରି ଲାଗି ପାତିଚି ଛାତି

ଚୂର୍ଣ୍ଣ ଛାତି-ହାଡ଼ ।

 

କେତେ ଯେ ପ୍ରାଣ ଏହାରି ପାଇଁ

ଶହୀଦ ହେଲା କଳନା ନାହିଁ ।

ପତାକା ଏ ଯେ ପାଇଚୁ ଆଜି

ଆମରି ପ୍ରିୟତମ ।

 

 

ଉଡ଼ଇ ଆମ ପତାକା ଏ ଯେ

ଜଗତେ ଅନୁପମ

ଅଙ୍ଗେ ଲେଖା ତ୍ରିରଙ୍ଗର

ତ୍ରିବେଣୀ ସଙ୍ଗମ ।

 

କେଶରୀ ରାଗ ଶାନ୍ତି ବହେ

ସବୁଜ ଭାଗ ମୈତ୍ରୀ କହେ

ଶୁକ୍ଳ ଘୋଷେ ପ୍ରଗତିବାଣୀ

ଜଗତ ମନୋରମ ।

 

ଶୁଭ୍ରତାର ମଧ୍ୟଦେଶେ

ତୋଳିଚି ଯାହା ମଥା

ଅହିଂସାର ପ୍ରତୀକ ତାହା

ଅଶୋକ ଚକ୍ର ତା ।

 

ଶାନ୍ତି-କାମେ ମୈତ୍ରୀ-କାମେ

ପ୍ରଗତି ପଥେ ଚାଲିବୁ ଆମେ,

ରଖିବୁ ଛାତି ରକତ ଦେଇ

ଏହାକୁ ପ୍ରାଣ ସମ ।

***

 

ଛନ୍ଦ ସଂପର୍କରେ ଦୁଇପଦ

 

ଛନ୍ଦ କବିତାର ଗୋଟିଏ ଅବିଚ୍ଛେଦ୍ୟ ଅଙ୍ଗ । ଛନ୍ଦର ହିଲ୍ଲୋଳରେ ଭାବର ବିକାଶ ହୁଏ ବଡ଼ ମନୋଜ୍ଞ ଭାବରେ । ଓଡ଼ିଆ କବିତାରେ ତେଣୁ ସାଂପ୍ରତିକ ଭାବସଂକୁଳତା ବହନ କରିବା ପାଇଁ ଏକ ନୂତନ ଛନ୍ଦ ଆତ୍ମପ୍ରକାଶ କରିଚି । ତାହା ଯୁକ୍ତାକ୍ଷର ଛନ୍ଦ । ଅକ୍ଷର ଛନ୍ଦର ପ୍ରକୃତି ପ୍ରତ୍ୟେକ ପାଠକଙ୍କୁ ଜଣା । ତାହା ଅକ୍ଷର ପରିମାପରେ ଗଣାଯାଏ । ଯଥା-

 

ଅତି ମନୋହର କାଳ ଶୀତ ଋତୁ ଧରା ଛାଡ଼ି ଛାଡ଼ି ନାହିଁ

ପଲ୍ଲବ ପାଟଳ ମଧୁଋତୁ ରାଟ ଧରା ମାଡ଼ି ମାଡ଼ି ନାହିଁ

ଉର୍ବଶୀ, ରାଧାନାଥ ଗ୍ରନ୍ଥାବଳି

 

ମାତ୍ର ଯୁକ୍ତାକ୍ଷର ଛନ୍ଦରେ ଅକ୍ଷର ସାମ୍ୟ ନାହିଁ । ଅଛି ମାତ୍ରା ସାମ୍ୟ ।

 

ଯନ୍ତ୍ର ତତେକି ମନ୍ତ୍ର ଦେଇଚି ମାଟିର ମଣିଷ ଆରେ

ମୁଗ୍‌ଧ ତୋହର ଚିତ୍ତ ଗହନେ ଚିନ୍ତି ପାରୁନୁ ବାରେ ।

କବିତା ପ୍ରବେଶ-ଉତ୍କଳ ବିଶ୍ୱବିଦ୍ୟାଳୟ

 

ସଂସ୍କୃତରେ ଯେଉଁ ମାତ୍ରାବୃତ୍ତ ଛନ୍ଦ ଅଛି, ଆମର ଏ ଯୁକ୍ତାକ୍ଷର ଛନ୍ଦ ତାକୁଇ ଅନୁସରଣ କରି ସୃଷ୍ଟ ହୋଇଚି । ସଂସ୍କୃତରେ ଅଛି-

 

ଆକାର, ଦୀର୍ଘଇକାର, ଦୀର୍ଘଉକାର, ଏକାର, ଐକାର, ଓକାର, ଔକାର, ଅନୁସ୍ୱାର, ବିସର୍ଗ ଓ ରେଫ୍‌ ଯୁକ୍ତ ବର୍ଣ୍ଣ ନିଜେ ଓ ଙ୍କ, ଙ୍ଖ, ପ୍ର, ସ୍ମ ଇତ୍ୟାଦି ଯୁକ୍ତ ବର୍ଣ୍ଣର ପୂର୍ବ ବର୍ଣ୍ଣ ଗୁରୁ ବା ଦ୍ୱୈ ମାତ୍ରିକ ହୁଏ । ସେଥିପାଇଁ ସଂସ୍କୃତ କାବ୍ୟ କବିତାର ଆଙ୍ଗିକତାରେ ଅଛି ଏକ ଅଭିନବ ଭଙ୍ଗୀ ଓ ହିଲ୍ଲୋଳ । ତାହା ମାତ୍ରାବୃତ୍ତ । ଭାରତରେ କୌଣସି ଭାଷା ତାହାର ଲୋଭ ସମ୍ୱରଣ କରିପାରି ନାହିଁ । ହିନ୍ଦି, ବଙ୍ଗଳା ଓ ତେଲୁଗୁରେ ତାହା ବହୁ ପରିମାଣରେ ଗୃହୀତ । ଆମ ଓଡ଼ିଆ କାବ୍ୟ କବିତାରେ ତାହା ବହୁକାଳରୁ ଅଛି ।

 

ଚରଣ ଅରୁଣ ରାଜେ, କନକ ନୂପୁର ସାଜେ

କଟି କଙ୍କିଣୀ ଘଣ୍ଟି ଠଣରଣ କଙ୍କଣ ଝଙ୍କ ବାଜେ ।

ରହସ୍ୟ ମଞ୍ଜରୀ, ଦେବଦୁର୍ଲଭ ଦାସ

 

ରସମାନସ ରାଧିକେଶ ଜାର ରସ କଥାରେ

ସେବିତ ଶୁକ ସନକଶେଷ ଅନିଶ ନତ ମଥାରେ ।

ଗୋପାଳକୃଷ୍ଣ ପଦ୍ୟାବଳି

 

ଅଞ୍ଜନ ରୁଚି ମଦ ଗଞ୍ଜନ କେଶା

କଞ୍ଜ ସୁନ୍ଦର ମୁଖ ସୁନ୍ଦର-ବେଶା

ସଞ୍ଜ କୁମୁଦ ସମ ହାସ ବିକାସା

ତୁ ସିନା ସାହାରେ ।

କବିସୂର୍ଯ୍ୟ

 

ଜୟ ଦେବୀ ଜନ୍ମଭୂମି କୀର୍ତ୍ତି-କିରୀଟ-ଧାରିଣୀ

ବନ୍ଦେ ଦେବୀ ଆଶାମୟି ନିଗୂଢ଼-ଶକ୍ତି-ଶାଳିନୀ

ଉତ୍କଳଗାଥା-ମଧୁସୂଦନ

 

କାଞ୍ଚି ନୃପତି ଉତ୍କଳ ନୃପେ କରିଅଛି ଅବମାନନା,

ସମର ସଜ୍ଜା ଲାଗିଛି ଉତ୍କଳେ ବାଜୁଛି ଯୁଦ୍ଧ ବାଜଣା ।

ନନ୍ଦକିଶୋର

 

ମୁଁ ଉପରେ ଯେ କେତୋଟି ପଂକ୍ତି ଉଦ୍ଧାର କରିଅଛି, ସେଥିରେ ସଂସ୍କୃତର ନିଖୁଣ ମାତ୍ରା-ପରିମାପ ନାହିଁ । ତାହାର କାରଣ ଭିନ୍ନ । ଓଡ଼ିଆରେ ଆକାର, ଦୀର୍ଘଇକାର ପ୍ରଭୃତିକୁ ଗୁରୁବୋଲି ଚଳେଇ ନେବା କଠିନ । ତେଣୁ କେବଳ ଯୁକ୍ତାକ୍ଷରକୁ ଗୁରୁ ବା ଦ୍ୱୈମାତ୍ରିକ ବୋଲି ଗ୍ରହଣ କରା ହୋଇଅଛି । ଓଡ଼ିଆ ଢଗଢ଼-ମାଳିରେ ମଧ୍ୟ ଏଇ ଯୁକ୍ତାକ୍ଷରର ଦ୍ୱୈମାତ୍ରିକତା ଦେଖାଯାଏ ।

 

ଚୂର୍ଣ୍ଣପତ୍ର ଘୂର୍ଣ୍ଣ କରି

କାଳେ ଜାକିଥିବ ପୂର୍ଣ୍ଣ କରି ।

 

ଆମର ଆଧୁନିକ ଓଡ଼ିଆ କବିତାରେ ତାହା ରୂପାୟିତ ହୋଇଅଛି ଏଇପରି ।

 

ରୁକ୍ଷ ତୋହର ବକ୍ଷ ବିତାନେ

ସଞ୍ଚିତ ବହୁ ଧନ

ଲକ୍ଷ ସପନ ଲକ୍ଷ ମନନ

ବହୁତ ମହତ ମନ

 

ଯୁକ୍ତାକ୍ଷର ନହେଲେ ମଧ୍ୟ ଐକାର, ଔକାର ଓ ଋଫଳା ଯୁକ୍ତ ଅକ୍ଷରକୁ ଦ୍ୱୈମାତ୍ରିକ ଗ୍ରହଣ କରାଯାଇଅଛି । ଶୈଶବକୁ ଶଇଶବ, ଯୌବନକୁ ଯଉବନ, ଅମୃତକୁ ଅମୁରୁତ ଓ ତୃଣକୁ ତିରଣ ବୋଲି ଭାଷାରେ ଚଳୁଅଛି । ଯଥା:-

 

ମାତୃ ଭାଷାର ଗୌରବ ଦାତା

କଥା-କବି ପ୍ରହରାଜ

ତୋର କୋଳେ ବସି ଜୀବନର ପଥେ

ଆତୁରେ ଚାହୁଁଚି ଆଜ ।

 

ମାତ୍ର ଲାଳିତ୍ୟର ଅନୁରୋଧରେ ପ୍ରାକୃତ ଅନୁସରଣରେ ଅନୁସ୍ୱାର ସ୍ଥଳରେ ଚନ୍ଦ୍ର ବିନ୍ଦୁର ପ୍ରଚଳନ ରହିଅଛି । ଆମମାନଙ୍କର ଯେପରି ବିଞ୍ଚଣା, ବିଁଚଣା ଓ କିମ୍ପା, କିଁପା ହୁଏ ।

 

ତେବେ ଅଧୀର ସମୀର ପରବାହେ

ଉଠେ ସତ୍ୟ ସୁଁଦର ଶିବ ଆହେ ।

 

ବର୍ତ୍ତମାନ ପଣ୍ଡିତ ନୀଳକଣ୍ଠ, ପଣ୍ଡିତ ଗୋଦାବରୀଶ, କବି କାଳିନ୍ଦୀ, ବୈକୁଣ୍ଠ, ମାନସିଂହ, ଗୋଦାବରୀଶ, ସଚି ରାଉତରା ପ୍ରଭୃତି ଅଧିକାଂଶ କବିତା ଲେଖିଛନ୍ତି ଓ ଲେଖୁଛନ୍ତି ଏଇ ଯୁକ୍ତାକ୍ଷର ଛନ୍ଦରେ ।

 

ଯୁକ୍ତାକ୍ଷର ଛନ୍ଦ ସଂସ୍କୃତର ମାତ୍ରାବୃତ୍ତ ଛନ୍ଦରୁ ଅଣା ଯାଇଥିଲେ ମଧ୍ୟ ଆତ୍ମପ୍ରକାଶରେ ସଂପୂର୍ଣ୍ଣ ନୂତନ । ଓଡ଼ିଆ କବିତାର ଆଙ୍ଗିକତାରେ ଏହା ଗୋଟିଏ ଅଭିନବ ସୃଷ୍ଟି ।

***

 

ଟିପ୍ପଣୀ

 

ସତୀଚଉରା

 

କାଠଯୋଡ଼ି ନଈ କୂଳରେ ସତୀଚଉରା କଟକର ଜଣାଶୁଣା ଶ୍ମଶାନ । ସେଠି କବି ରାଧାନାଥ, ମଧୁସୂଦନ, ରାମଶଙ୍କର, ମୃତ୍ୟୁଞ୍ଜୟ, ବିଶ୍ୱନାଥ ଓ ନନ୍ଦକିଶୋର ପ୍ରଭୃତି ଅନେକଙ୍କର ସମାଧି ଅଛି ।

 

ସ୍ୱାଗତ ହେ ଚିୟାଙ୍ଗ୍‌ କୈଶକ

 

ଚିୟାଙ୍ଗ କୈଶେକ ଚାଇନାର ସଭାପତି । ୧୯୪୩ରେ ସେ ଆସିଥିଲେ ଭାରତକୁ । ତାଙ୍କର ସଂବର୍ଦ୍ଧନା କରାଯାଇ ଥିଲା ଉତ୍ତର ଭାରତର ପ୍ରତ୍ୟେକ ବଡ଼ ବଡ଼ ସହରରେ । କବିତାଟି ସେହି ସମୟର ଲେଖା ।

 

କଟନିସ୍‌-ସେ ତ ମରିନାହିଁ

 

ପଣ୍ଡିତ ଜବାହାରଲାଲ ୧୯୩୬ରେ ଥିଲେ ଭାରତର ରାଷ୍ଟ୍ରପତି । ସେତେବେଳକୁ ଚାଇନା ଉପରେ ଜାପାନର ଭୟାନକ ରଣତାଣ୍ଡବ । ପଣ୍ଡିତଜୀ ଡାକ୍ତର ଅଟଳଙ୍କ ନେତୃତ୍ୱରେ ଗୋଟିଏ ସେବା-ସୈନିକ ଦଳ ଚାଇନାକୁ ପଠାଇଥିଲେ । ଡାକ୍ତର ଦ୍ୱାରକାନାଥ କଟନିସ୍‌ ଥିଲେ ସେଇ ଦଳର । ସେ ଭାରତକୁ ଆଉ ଫେରିପାରି ନଥିଲେ । ଚାଇନାର ରଣକ୍ଷେତ୍ରରେ ଆହତ ସୈନ୍ୟଙ୍କର ସେବା କରୁ କରୁ ତାଙ୍କର ସ୍ୱାସ୍ଥ୍ୟଭଙ୍ଗ ହେଲା । ସେଇଠି ସେ ପ୍ରାଣ ହରାଇଲେ । ଚାଇନାକୁ ନିଜର କରିନେଲେ ଚିରଦିନ ପାଇଁ ।

 

କୃଷ୍ଣଚକ୍ର ଗଡ଼

 

କୃଷ୍ଣଚକ୍ର ଗଡ଼ ଅନଗୁଳର ଶେଷ ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କର ଗୁପ୍ତଗଡ଼ । ତାହାର ଭଗ୍ନାବଶେଷ ଆଜିଯାଏ ଅଛି । ୧୮୪୬ରେ ସୋମନାଥ ସିଂହ କେତେଜଣ ଗଡ଼ଜାତ ରାଜାଙ୍କ ସହିତ ପରାମର୍ଶ କରି ସୈନ୍ୟ ପଠାଇ ଥିଲେ ବ୍ରିଟିଶ ସରକାରଙ୍କର କଟକ ସହର ଆକ୍ରମଣ କରିବାକୁ । ସିନ୍ଧୁ ଗଡ଼ନାୟକ ଓ ଭୁବନ ମଙ୍ଗରାଜ ଥିଲେ ସେହି ଫଉଜର ସେନାପତି । ମାତ୍ର ବ୍ରିଟିଶ ସୈନ୍ୟ ଭାବି, ବହୁତ ଯାତ୍ରୀ ଜମାଉତଙ୍କୁ ଦଶପଲ୍ଲାର ସୁନାଖଣିଆଠାରେ ରାତି ଅଧରେ ହାଣି ପକାଇଲେ । ଧର୍ମ ଭୟରେ ସମସ୍ତେ ବିବ୍ରତ ହୋଇପଡ଼ିଲେ । ଓଡ଼ିଶା ସରକାରଙ୍କ ନିକଟରେ ହତ୍ୟା ମୋକଦ୍ଦମା କରାଗଲା । ଅନଗୁଳର ରାଜା, ସେନାପତିମାନେ ବିଦ୍ରୋହୀ ବୋଲି ବନ୍ଦୀ କରାଗଲେ । ମାତ୍ର ସେମାନେ ଯେଉଁ ବୀରତ୍ୱ ଓ ସାହସ ଦେଖାଇଥିଲେ, ତାହା ରାଜସ୍ଥାନ ପରି ଅନଗୁଳ ଇତିହାସକୁ ଗୌରବମୟ କରିଅଛି । ଇଂରେଜ ସରକାର ଅନଗୁଳ ଦଖଲ କରିଥିଲେ ୧୮୪୬ରେ । ଆଜିକି ଶହେବର୍ଷ ତଳେ ।

 

ଗୋପବନ୍ଧୁ ହେ, ଚଞ୍ଚଳ ଆସ ଫେରି

 

ଉତ୍କଳମଣି ଗୋପବନ୍ଧୁଙ୍କର ୧୮ଶ ବର୍ଷର ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷରେ ଲେଖା ଯାଇଥିଲା ।

 

ହିନ୍ଦୁ ମୁସଲମାନ

 

ବିଷୟ ବସ୍ତୁଟି ଗୋଟିଏ ସତ୍ୟ ଘଟନାରୁ ନିଆଯାଇଛି । ଦୟାନନ୍ଦ ବୈଦିକ କଲେଜର ସଂସ୍କୃତ ଅଧ୍ୟାପକ ଶ୍ରୀ ଲକ୍ଷ୍ମୀନାରାୟଣ ଶାସ୍ତ୍ରୀଙ୍କ ନିକଟରୁ ମୁଁ ଶୁଣିଥିଲି, ସେ ଜୁଆଲାପୁରରେ ଥିଲାବେଳେ ସ୍ୱଚକ୍ଷୁରେ ଦେଖିଥିଲେ । ଏହା ୧୯ କିଂବା ୨୧ ଅଗଷ୍ଟ, ୧୯୪୭ରେ ଘଟିଥିଲା ।

***